Unknown

 

 

 

 

 

 

 

 

 

ସ୍ୟମନ୍ତକମଣିହରଣ

ଗଣକବି ବୈଷ୍ଣବ ପାଣି

 

(ନଟୀର ପ୍ରବେଶ ଓ ଗୀତ)

[କେଡ଼େ ଗେଲେ ଗେଲେ ଝୁଲେ- ବୃତ୍ତେ]

 

ଦେଖ ପୂର୍ଣ୍ଣଶଶୀ ଖେଳେ, ବସି ତାରକା ମେଳେ ।

ତାର ଆଲୋକେ ଧରା କେହ୍ନେ ଦିଶଇ ତୋରା ।

ପରାକରା ଜନମନହରା ଚାହିଁଲେ ଡୋଳେ ।ପଦ।

ଭୋଳେ ନବକାମିନୀ, ଦେଖି ଚନ୍ଦ୍ରଯାମିନୀ ।

କୋଳେ ଘେନି ରସନ୍ତି ରସିକ ସୁରସଆଳେ ।୧।

ଚନ୍ଦ୍ର ଦେଖି କୁମୁଦ, ମନ୍ଦହାସେ ଆନନ୍ଦ ।

ଗନ୍ଧ ପ୍ରସ୍ଫୁଟିତ ହୋଇ ବିକାଶଇ ସୁଢ଼ଳେ ।୨।

ଚକ୍ରବାକ ରମଣୀ, ହୃଦ ହୁଅଇ ହାଣି ।

ପାଣି ଭଣି ଜାଣି ଦହେ ଅଙ୍ଗ ବିରହାନଳେ ।୩।

 

[ଆହା କି ମୋ ଶାରଦିଆ - ବୃତ୍ତେ]

 

କେଡ଼େ ଚଞ୍ଚଳେ ଚପଳା ଖେଳେ ଗଗନେ । ଚାହୁଁ ଚାହୁଁ ମିଶିଯାଏ କଳାଘନେ ।ପଦ। ନାହିଁ ତୋ ରୂପରେଖ, ନାହିଁ ତୋର ବସା ଗଗନରେ । ରହି କରୁ ଜ୍ୟୋତି ପରକାଶ, କେଡ଼େ ବିଚକ୍ଷଣ ଅଟେ ତୋର ଗୁଣ ରେ । ସନ୍ତରଣ କରେ ଯେହ୍ନେ ଜଳେ ମୀନେ ।୧। କଳାଗତି ତୋର, କେତେ ଚମତ୍କାର ଖେଳୁଥାଉ ରହି ତୁହି ନିରନ୍ତର । ଶରୀର ପରଶେ, ଲୁଚୁ କେଉଁ ଦେଶେ, ଅନ୍ତର ହେଲେ ମିଳୁ ହରଷମନେ ।୨। ସ୍ପରଶ ନ ହୋଇ, କାହିଁ ଭ୍ରମୁ ହୋଇ ବାଇ, ତୋତେ ଆଶାକରି କେହି ଧରି ପାରଇ । ବଇଷ୍ଣବ କହି, ଥୟ ନୋହୁ କାହିଁ, ଛାଇ ପ୍ରାୟେ ମିଶୁ ଯାଇ ଶୂନ୍ୟଭୁବନେ ।୩।

 

(ନଟର ପ୍ରବେଶ)

ନଟ

ପ୍ରିୟେ, ଧନ୍ୟ ସାହସ ଏ ତବ,

 

 

ତୃପ୍ତହେଲି ଶୁଣି ତବ ରଚନା ବର୍ଣ୍ଣନ,

 

 

କରିଥିଲ ଯେଉଁ ପତିବ୍ରତ,

 

 

କିନ୍ତୁ ଆଜି ପ୍ରକାଶିଲ ତାହା;

 

 

କେତେ କେତେ ବିଜ୍ଞ ସୁପୁରୁଷ

 

 

ଉପଗତ ଅଛନ୍ତି ଯେ ସ୍ଥଳେ,

 

 

ତହିଁମଧ୍ୟ ପ୍ରବେଶିବ ଶକତି କାହାର;

 

 

ନୋହେ ଏହା ସମସ୍ତଙ୍କ ପକ୍ଷେ;

 

 

କିନ୍ତୁ ବୁଦ୍ଧିର ପରୀକ୍ଷା ଅଟେ,

 

 

ଉଚ୍ଚଶାଖା ଆର,

 

 

ସର୍ବଗୁଣ ପୂର୍ଣ୍ଣ ତୁମ୍ଭଠାରେ ।

 

 

ଏ ସଭାରେ ଠିଆହୋଇ ଯେଉଁ ଗୀତଟି ଗାଇଲ, ଏ କଣ ସାମାନ୍ୟର କାର୍ଯ୍ୟ, କେ କଳିବ ଶକତି ତୁମ୍ଭର । ପ୍ରିୟେ ! ଆଜ ଏ ସମାଗତ ଭଦ୍ରମଣ୍ଡଳୀଙ୍କୁ କେଉଁ ଅଭିନୟ ଦେଖାଇ ତୃପ୍ତ କରିବାକୁ ହେବ, ତହିଁର ଉପକରଣ ପ୍ରସ୍ତୁତ କର ।

ନଟୀ

ପ୍ରିୟବର ! ପ୍ରତିଦିନ ରାମାୟଣ, ମହାଭାରତ ପ୍ରଭୃତି ନାଟକ ଓ ଗୀତଭିନୟ ରୂପେ ଜନସାଧାରଣେ ଦେଖାଯାଉଅଛି । ଆଜି ଗୋଟିଏ ନୂତନ ଅଭିନୟ ଦେଖାଇବାକୁ ହେବ । ଶ୍ରୀମଦ୍ଭାଗବତ ଦଶମସ୍କନ୍ଧ ଶୁକମୁଖାମୃତ ଦ୍ୱାରକାଲୀଳା ଉପାଖ୍ୟାନ ସ୍ୟମନ୍ତକମଣିହରଣ ନାମକ ରାତ୍ର ପ୍ରାତଃସମୟ ପର୍ଯ୍ୟନ୍ତ ଦର୍ଶକଗଣମାନଙ୍କୁ ଦେଖାଇବାକୁ ହେବ ।

ନଟ

ପ୍ରିୟେ ! ତୁମ୍ଭେ ଭାରି ବୁଦ୍ଧିମାନ୍‌ ଓ ଚତୁର ଅଟ । ତୁମ୍ଭଙ୍କୁ ବଚନିକାରେ କେହି ପରାସ୍ତ କରି ନ ପାରେ । ହଉ ତେବେ ଆସ, ନାଟକର ଉପକରଣମାନ ଦର୍ଶାଇବାକୁ ହେବ ।

 

[ଜୟ ଭୁବନାମୋହନ କିଶୋର –ବୃତ୍ତେ ]

 

ଶୁଣ ସୁଚିତ୍ତେ ସୁମନେ କୋବିଦେ, ଚିତ୍ତ ଦେଇ ଶ୍ରୀପଦେ, ସୁଜନେ ନ ପଡ଼ିବ ଯେବେ ପ୍ରମୋଦ । ପରମାନନ୍ଦଙ୍କୁ ଆନନ୍ଦେ, ଫନ୍ଦା ଳଗାଅ ଅଭୟ ପଦେ । ଫଳିଲେ ସେ ଫଳ; କରିବ କବଳ, ପଳାଇବ କାଳ ହାରି ବିପଦେ । ସତ୍ୟ ହୃଦେ ଧର; କାଟ ମାୟାଡୋର; ସଂସାରବାସନା ନ ଧରି ହୃଦେ । ଚିତ୍ତ ଦେଇ ଶ୍ରୀପଦେ ।୧। ସୁଜନେ ବାମନ ମୁଁ ହୋଇ ଆନନ୍ଦେ,ଆଶା କରେ ଧରିବି ଚାନ୍ଦେ, ପେଷା ମୋର ରଚିବି ପଦେ । ଦୋଷାଦୋଷମାନ କରିବ ମୋଚନ; ଦୀନଜନେ ଦୟା ବହିଣ ହୃଦେ । ସୁଜନେ, ବସି ନିଶୀ ଦିବସ ଫାନ୍ଦେ, ଭାଗବତ ଗୀତରେ ଛନ୍ଦେ । କ୍ଷମା ମାଗୁଅଛି ଶ୍ରୀପଦେ, ମୁଁ ମୂଢ଼ ଅଜ୍ଞାନ ନାହିଁ ମୋର ଜ୍ଞାନ, ଦୀନହୀନ ବଇ କହଇ ଖେଦେ ।୩।

(ପ୍ରସ୍ଥାନ)

 

(କୃଷ୍ଣ ଓ ଅର୍ଜୁନର ପ୍ରବେଶ)

କୃଷ୍ଣ

ସଖା, ଭକ୍ତର ବେଦନା ମୁଁ ନ ପାରଇ ସହି,

 

 

ଭକ୍ତିସୂତ୍ରେ ବନ୍ଦୀ ମୁଁ ନିରତେ,

 

 

କିନ୍ତୁ ନିଜେ ତୁମ୍ଭେ ବୁଝିଅଛ ତାହା;

 

 

ଶୁଷ୍କକାଷ୍ଠେ ଅଗ୍ନିକଣା ହୋଇଲେ ସଂଯୋଗ

 

 

ଅବିଳମ୍ବେ ଭସ୍ମ କରେ ତାହା ।

 

 

ସଖା, ଶୁଣୁଅଛି ଜନଙ୍କ ଶ୍ରବଣେ,

 

 

ଶକ୍ରାଜିତ ତପେ ତୋଷି ଭୀଷ୍ମଙ୍କ ପୟରେ,

 

 

ଲଭିଅଛି ସ୍ୟମନ୍ତକମଣି,

 

 

ରଖି ପୂଜେ ନିଜ ଆଳେ ତାହା,

 

 

ପ୍ରତଦିନ ଅଷ୍ଟଭାର ସ୍ୱର୍ଣ୍ଣ ଉପାର୍ଜ୍ଜନ

 

 

ହେଉଅଛି ସେହି ମଣିଠାରୁ;

 

 

ସ୍ୱର୍ଣ୍ଣ ପ୍ରାପ୍ତେ ମତ୍ତଗର୍ବ ହୋଇ,

 

 

ତାର ତୁଲେ ନ ଗଣେ କାହାକୁ

 

 

ସଖା, ଏକ କାର୍ଯ୍ୟ ସାଧନ ତୁମ୍ଭେ ପାରିବ କି କରି ?

ଅର୍ଜ୍ଜୁନ

ଦାଶରଥି ଆଜ୍ଞାକୁ ଅବଜ୍ଞା କେବେ କରିଛି କି ଦାସ,

 

 

ଆଜ୍ଞା ହେବ ଅଧୀନକୁ ଶ୍ରୀମୁଖରୁ ଯାହା,

 

 

ଅବଶ୍ୟ ପାଳିବ ଦାସ, ନ କର ବିଳମ୍ବ ।

କୃଷ୍ଣ

ସଖା ! ତେବେ ନିଅ ଏହି ଲେଖା ।

 

(ଗୀତ)

[କହ କାହିଁପାଇଁ- ବୃତ୍ତେ]

 

ସଖା ଲେଖା ନେଇ ଚଳ, ଯାଅ ହେ ଚଞ୍ଚଳ, ବେଳ କର ନାହିଁ ଡେରି । ଆଉ ଖଳ ଶକ୍ରାଜିତ ଭେଟାଅ ତୁରିତ ମୋ ଅଗ୍ରତେ ବେଳ ଥାଉଁ ଥାଉଁ ।ପଦ। ଅର୍ଥଲୋଭେ ଭୋଳ ହୋଇଛି ଭୂପାଳ କାଳଗ୍ରାସେ ଯେହ୍ନେ ରାହୁ ! ମିଥ୍ୟା ନ ହୋଇବ ଏ ବଚନ ଧ୍ରୁବ ଗର୍ବ ହେବ ଖର୍ବ ଚାହୁଁ ଚାହୁଁ ।୧। ସ୍ୟମନ୍ତକମଣି ଅଛି ଏକ ଆଣି ଭଣିବ ଆମ୍ଭଙ୍କୁ ଦେଉ । ଆଣିବ ବିଶ୍ୱାସେ ପ୍ରକାଶିଣ ପାଶେ ମୋ ବାସେ କି କହି ଯାଉ ସେହୁ ।୨। କହିବ ବିଜୟୀ ତାହାଙ୍କୁ ହେ ଯାଇଁ କହିଛନ୍ତି ପଭୁ ଆଉ । ମନର ଅଶଙ୍କା ତୁଟିଯିବ ଦକା ନ ରହିବ ଦେଖା ହେଉ ହେଉ ।୩। ତାର ମନ ଭ୍ରମି ବିଡ଼ିବି ଗାଣ୍ଡିବୀ ଲଗାଇଚି ଏତେ ଦାଉ । ବିଷୟାରସରେ ରସି ହରଷରେ ବଇଷ୍ଣବ ଜୀବ ଯାଉ ଯାଉ ।୪।

 

(ଗୀତ)

 

ଅର୍ଜ୍ଜୁନ

ଶ୍ରୀପୟରୁ ହେଉଛି ମେଲାଣି ହେ ବେଣୁପାଣି !

 

 

ଅନିତ୍ୟସଂସାର ଚିନ୍ତା ଅଟ ଚିନ୍ତାମଣି ହେ ।ପଦ।

 

 

ଛାର ମଣି ଲାଗି ଦେବ, ଲାଗାଇବ ଏତେ ଭାବ,

 

 

ଦୀନବାନ୍ଧବ ମାଧବ କିସ ନାହିଁ ଜାଣି ।୧।

 

 

ତାର ବାଣେ ପଦ୍ମନାଭ, କାଞ୍ଚନ ହୁଏ ଉଦ୍ଭବ,

 

 

ନ ଭାବିଲେ ତୁମ୍ଭ ନାମ ହେବ କି କାରଣ ।୨।

 

 

ବୃଥା ମାୟାମୋହେ ମଜ୍ଜି, କି ହୋଇବ ସୁଖ ଭୁଞ୍ଜି,

 

 

ଖୋଜିଣ ଶମନ ପାଜି ଗଞ୍ଜୁଥିବ ଟାଣି ।୩।

 

 

ମେଲାଣି ହେଉଛି ଦାସ, ଘେନି ଛାମୁଙ୍କ ଆଦେଶ

 

 

କ୍ଷମାକର ଦେଷାଦୋଷ ବଇଷ୍ଣବ ଭଣି ।୪।

 

(ବଚନିକା)

 

 

 

ମହାଚକ୍ରୀ ତୁମ୍ଭ ଚକ୍ର କେ ପାରିବ ବୁଝି,

 

 

ଏ ଅଖିଳ ଜଗତ ତୋର ମାୟାର ଭିଆଣ,

 

 

ତବ ଆଜ୍ଞା ଘେନି ଶିରେ ଚଳୁଛି ଏ ଦାସ,

 

 

ଯେଉଁ ଆଜ୍ଞା ହେଉଛି ଶ୍ରୀମୁଖୁ – ନିର୍ଭୟରେ

 

 

ପ୍ରକାଶିବ ତାହା । ଦାଶରଥି, ଦୟା ରଖିଥିବ ଦାସ ପ୍ରତି ।

କୃଷ୍ଣ

ସଖେ ! ଯାଅ ଶୀଘ୍ରେ ବିଳମ୍ବ ନକରି, କହିବ ସତ୍ତ୍ରାଜିତକୁ,

 

 

ହେ ଭୂପାଳ ! କହିଛନ୍ତି ନିଜେ ଚକ୍ରଧର,

 

 

ମୋର ତୁଲେ କରିବ ଗମନ,

 

 

ଅଛି ବହୁତ ବାକ୍ୟାଳାପ ।

ଅର୍ଜ୍ଜୁନ

ଯେ ଆଜ୍ଞା (ଉଭୟଙ୍କ ପ୍ରସ୍ଥାନ)

(ରାଜା ସତ୍ତ୍ରାଜିତ ଓ ମନ୍ତ୍ରୀଙ୍କ ପ୍ରବେଶ)

ରାଜା

କିପାଁ ନାଚେ ଦକ୍ଷଜାନୁ ମୋର,ଦକ୍ଷବାହୁ କମ୍ପେ ମୂହୁର୍ମୂହୁ, ହୋଇବ କି ବନ୍ଧୁଜନେ ଭେଟ ?

(ଗୀତ)

[କେଣିକି ଯାଉଛୁ ମୋ କଳା - ବୃତ୍ତେ]

ନାଚଇ ଦକ୍ଷିଣ ଜାନୁ ଘନ ଘନ ଥୟ ନୋହେ ମନ କାହିଁକି ? କି ଅବା ମଇତ୍ର ହେବେ ଉପଗତ, ଦୀନଜନେ ଦୟାବହି କି ।ପଦ। ସ୍ୟମନ୍ତକମଣି ହେଲା ଦିନରୁ, ମୂରୁଛି ଦେଲା କି ମୋତେ ମନରୁ । ସହି କେତେ କେଷ୍ଟ ହୋଇଥିଲା ଭେଟ ସେଦିନ ଗଲାଣି ବହି କି ।୧। ସେହି ମଣିରତ୍ନ ଦେଇଣ ମୋତେ, କହିଛନ୍ତି ଯେତେ କହିବି କେତେ । ତାହା ମୁଁ ହୁଡ଼ିଲି ମାୟାରେ ପଡ଼ିଲି ବିଷୟାରେ ମୋହ ଭୋଳ ହୋଇ କି ।୨। ଧନ ଉପାର୍ଜ୍ଜନ କେବଳ ଫଳ, ସୁକୃତି ହୋଇଲା ମୋର ବିଫଳ । ଭାବିଲେ ସେ କଥା ଭ୍ରମିଯାଏ ମଥା ବୃଥାହେଲା ବଇ କହିକି ।

 

ମନ୍ତ୍ରୀ

ମହାରାଜ ! ବୃଥା କିପାଁ ହେଉଛନ୍ତି ବ୍ୟସ୍ତ,

 

 

ବିଷୟା ମାଦକେ ପ୍ରାଣୀ ମୁଗ୍‍ଧ ହୋଏ ଯେବେ,

 

 

ନ ରହଇ ଦେହେ ତାର ସାତ୍ୱିକର ଶକ୍ତି,

 

 

ତେବେ ନିଜେ ତାହା ଅର୍ଜିଛ ଆପଣ,

 

 

କଲାକର୍ମ ଭୁଞ୍ଜିବ ଅବଶ୍ୟ,

 

 

ଅନ୍ୟଥା ନୋହିବ କେବେ ଶାସ୍ତ୍ରର ବିଧାନ,

 

 

ଦାସବାକ୍ୟେ ଯେବେ ଚିତ୍ତ ଶାନ୍ତି ନୋହେ,

 

 

ଦେବ, କରନ୍ତୁ ଦେବତା ଆଳେ ଶାସ୍ତ୍ର ଆଲୋଚନା ।

ରାଜା

ମନ୍ତ୍ରୀ ! ଯା କହିଲ ସତ୍ୟ ଅଟେ ତାହା,

 

 

କିନ୍ତୁ ଭଗ୍ୟବାନ ପ୍ରାଣୀ ପକ୍ଷେ ସମ୍ଭବ ନୁହଇ,

 

 

ନିଜେ ମୁହିଁ ବୁଝିଅଛି ତାହା ।

 

 

ଯାଅ ତୁମ୍ଭେ ଦେବତା ଆଳୟେ,

 

 

ବୁଝ, ଦ୍ୱିଜେ କି କରନ୍ତି ତହିଁ,

 

 

ଉପଯୁକ୍ତେ ପୂଜନ୍ତି ନା ମଣି ?

 

 

ମନ୍ତ୍ରୀ ! କେଉଁ କାର୍ଯ୍ୟେ ପେଷିଛ ଚାରକୁ ?

 

 

ଉପଗତ ନାହିଁ କିପାଁ ପ୍ରାଙ୍ଗଣ ପ୍ରଦେଶେ,

 

 

ଅତିଶୀଘ୍ରେ ଡକାଅ ତାହାକୁ ।

ମନ୍ତ୍ରୀ

ଯେ ଆଜ୍ଞା । (ପ୍ରସ୍ଥାନ)

(ଚାରର ପ୍ରବେଶ)

[କିଏ ଯିବ ଆସ ଲୋ କଲିକତାକୁ - ବୃତ୍ତେ]

କଳିକାଳ ରୀତିକି, ଦେଖି ଲାଗେ ଭୀତିକି । ଦେଖ ବେଳୁବେଳ, ହୋଇଲେ ପ୍ରବଳ, ଖଳଲୋକମାନେ ମାତିକି ।୧। ନିଶାଖିଆ ହୋଇଲା ପେଷା, ବୁଡ଼ାଇଲେ ନିଜ ବେଉସା । ହଂସା ଯାଏ ଉଡ଼ି, ଭାବି ଘଡ଼ି ଘଡ଼ି, ତାଡ଼ିରେ ମଜ୍ଜାଇ ମତିକି ।୨। ପଡ଼େ ଯେବେ ମୁନ୍ଦାଏ ପେଟେ; ଫନ୍ଦାମାନ ଆସିଣ ଯୁଟେ । ମଦ କରେ ବାଇ, ହୋନ୍ତି ହାଇଁପାଇଁ ତେଜ୍ୟା କରି ଜାତି ପତିକି ।୩। ବାଡ଼ି ବୃତ୍ତି କରି ବିକିରି, ଆଣୁଛନ୍ତି ଭରିକି ଭରି । ଅଫିମଦୋକାନ, ହରିନିଏ ମନ ଦିନକୁ ମଣନ୍ତି ରାତିକି ।୪। ନ ମିଳିଲେ ଟଙ୍କାପଇସା, ଚୋରି ପୁଣି ହୁଅଇ ପେଷା । ଆସି ପଡ଼େ ଦଶା; ବଢ଼େ ପାପ ଆଶା; କାଚ ମୂଲ ବେନି ମୋତିକି ।୫। ପୁଣି ବିପରୀତ ହୁଅଇ, ଯାହା ଶୁଣି ନଥିବ ଭାଇ ! ବଇଷୃବ କହି, ଆଉ ରକ୍ଷା ନାହିଁ, ଧନ୍ୟ କଳି ତୁହି, ନାରୀଏ ତେଜନ୍ତି ପତିକି ।୬।

 

ଡଗରା ପ୍ରତି ରାଜା

ଯାଅ ଦୂତ, ଅତି ଦୃଢ଼େ ରହ ଦ୍ୱାରଦେଶେ ।

 

 

ଯେବେ କେହି ଆସିବ ସାକ୍ଷାତ ଉଦ୍ଦେଶ୍ୟେ;

 

 

ଜଣାଇଣ ଛାଡ଼ିବୁ ତାହାଙ୍କୁ ।

ଡଗରା

ଯେ ଆଜ୍ଞା (ପ୍ରସ୍ଥାନ)

 

 

(ଅର୍ଜ୍ଜୁନର ପ୍ରବେଶ । ରାଜାର ଅର୍ଜ୍ଜୁନ ପ୍ରତି –)

 

 

ଧନଞ୍ଜୟ, କୃତାର୍ଥ ହୋଇଲା ନେତ୍ର ମୋର, ତବ ଦରଶନେ

 

 

ଯା’ର ଅର୍ଦ୍ଧ-ଅଙ୍ଗ ଅଟେ ଚକ୍ରୀର, ନାହିଁ କିଛି ଭିନ୍ନ,

 

 

ସେ ଚରଣ ହୋଇଲା ଦର୍ଶନ ।

 

 

କି ସୁଯୋଗେ ନିଶି ପାହିଥିଲା ଆଜି,

 

 

ସଫଳ ହୋଇଲା ମନସ୍କାମ ହେ,

 

 

କି ନିମନ୍ତେ ଆଗମନ ଅଭାଗ୍ୟ କୁଟୀରେ ?

ଅର୍ଜ୍ଜୁନ

ମହାରାଜ ! ପେଷିଛନ୍ତି ରୁକ୍ମିଣୀନାୟକ,

 

 

ଦେଖ, କିସ ଲେଖାଅଛି ପତ୍ରେ,

 

 

କହିଛନ୍ତି ରାଜୀବଲୋଚନ,

 

 

ହେ ଅର୍ଜ୍ଜୁନ, ତବ ତୁଲେ ଆଣିବ ତାହାଙ୍କୁ

 

 

ବହୁଦିନୁ ବଳିଅଛି ଆଶା,

 

 

ଭେଟହେଲେ ତୁଟିବ ମନର ମାନସ ।

(ଗୀତ)

[ଜୟ ଶ୍ରୀରାଧେ- ବୃତ୍ତେ]

ଆସ ହେ ସତ୍ତ୍ରାଜିତ ମୋ ସଙ୍ଗତେ ତୁରିତ । ନ କରି ଶଙ୍କା ଚଳ ଦ୍ୱାରକା, ଦେଖାହୋଇଲେ ଦୂରେ ପଳାଇବ ଦୂରିତ ।୧। ଘେନି ପତର, ନୋହି କାତର, ବୁଝ ଚିତ୍ତର, ତିଳେ ନ ହୋଇଣ ଚିନ୍ତିତ ।। ଦୀନବାନ୍ଧବ, ସହିତେ ଭାବ, ହୋଇଲେ ଯିବ, ଦୈବ ନ କରଇ ଆୟତ୍ତ ।୨। ଲେଖିଣ ଲେଖା,କହିଲେ ସଖା, ଦକା ହେବ ମୋଚନ ହୋଇଗଲେ ସାକ୍ଷାତ ।୩। ଦ୍ୱାରକାପତି, କହିଅଛନ୍ତି, ନ କର ଭୀତି, କ୍ଷିତିପତି ନୋହି ଆରତ ।୪। ରୁକ୍ମଣୀନାହା, ହୋଇଲେ ସାହା, ରାହା ପାଇଣ ବଇ ହୋଇଯିବ ମୁକତ ।୫।

 

ରାଜା

ଶ୍ୱେତପଦ୍ମନେତ୍ରକୁ ମୁଁ ଦେଖିବି କି ସତେ ଡୋଳେ ।

 

 

ପାର୍ଥ ମନୋରଥ ମୋର ପୂର୍ଣ୍ଣ ହେଲା ଏତେକାଳେ ।୧।

ଲେଖିଅଛନ୍ତି ପତର, ଶ୍ରୀକରରେ ଚକ୍ରଧର,ସେ ତ ଅଟନ୍ତି ସାଗର,ସେବକ ମୁଁ ସଦାକାଳେ ।୧। କାଳୀ ଦଳି ବନମାଳୀ, କାଳିନ୍ଦୀରୁ ପଦ୍ମ ତୋଳି; ତହୁଁ ମଧୁପୁରେ ଚଳି, କଂସଆଳେ ଦେଲେ-ହେଳେ-।୨। କୁଣ୍ଡୀ ସ୍ୱୟମ୍ବରେ ଜିଣି,ଆଣିଛନ୍ତି ରୁକ୍ମିଣୀ, କେତେ କେତେ ନୃପମଣି ଜିଣିଛନ୍ତି ବାହୁବଳେ ।୩। ଯା ଆଜ୍ଞାରେ ମହୀଧର, ଧରିଅଛି ନିରନ୍ତର, ଅନ୍ତ ନ ପାଇଲେ ଯା’ର ବେଦବର କୋଟିକାଳେ ।୪। ସେ ପଦକୁ ମୁଁ କି ଯୋଗ୍ୟ, ହୋଇବି କୁହ ପାର୍ଥିବ, ପାଇବ କି ବଇଷ୍ଣବ ଗଲେ ଜୀବ ଦୈବଆଳେ ।୫।

ଅର୍ଜ୍ଜୁନ

ହେ ନରେଶ ! ବିଳମ୍ବରେ ନାହିଁ ପ୍ରୟୋଜନ,

 

 

ଅତିଶୀଘ୍ରେ ଚଳିବାହେଉନ୍ତୁ,

 

 

ଚାହିଁ ଚାହିଁ ଭାବଗ୍ରାହୀ ହେଉଥିବେ ବ୍ୟସ୍ତ,

 

 

ତିଳେ ଆଉ ନ କରିଣ ଡେରି;

 

 

ଅତିଶୀଘ୍ରେ ଆସନ୍ତୁ ବାହାରି ।

ରାଜା

ହେ ଗାଣ୍ଡିବୀ ! ଖାଣ୍ଡବୀଦାହିନୀ ଯଦି କିଛି ପଚାରନ୍ତି ମୋତେ,

 

 

କି କହିବି ସମ୍ମୁଖେ ତାଙ୍କର

 

 

ନ ସ୍ଫୁରିବ ତୁଣ୍ଡୁ ମୋର ବାକ୍ୟ,

 

 

ଆଜ୍ଞାକୁ ଅବଜ୍ଞା କେବେ ନ କରିବ ଦାସ,

 

 

ତେବେ ଚାଲ । (ସମସ୍ତେ ପ୍ରସ୍ଥାନ)

(କୃଷ୍ଣ ଓ ଦୂତର ପ୍ରବେଶ)

କୃଷ୍ଣ

କହ ଦୂତ, କିପାଁ ଡେରି କରିଲେ ବିଜୟୀ ?

 

 

ପେଷିଥିଲି ସତ୍ତ୍ରାଜିତ ଆଳେ,

 

 

କି ନିମନ୍ତେ ନ ଫେରିଲେ ତୃତୀୟ-ପାଣ୍ଡବ,

 

 

ଅତି ଶୀଘ୍ରେ କର ପ୍ରତିକାର,

 

 

ସୁଦୃଢ଼ରେ ରହିଥାଅ ପ୍ରାଙ୍ଗଣେ,

 

 

ଯଦି କେହି ଆସିବେ ଦୂତ ମମ ଦରଶନେ,

 

 

ଜଣାଇଣ ଆଣିବ ଏଥକୁ ।

ଦୂତ

ଯେ ଆଜ୍ଞା !

(କୃଷ୍ଣଙ୍କ ଗୀତ)

[ଖେଳେ ରାଜହଂସ-ବୃତ୍ତେ]

 

 

ଜାଣୁ ଜାଣୁ ଶୁଣୁ ଶୁଣୁ ବଣା କିପାଁ ହୋନ୍ତି ନରେ ବୃଥାଟାରେ ।

 

 

ମାୟାଜାଲେ ଜଡ଼ି ପଡ଼ିଛନ୍ତି ଖରେ ଖରେ ।ପଦ।

ହିତକୁ ମଣି ଅହିତ ଅନର୍ଥେ ହୋନ୍ତି ପତିତ, ହେଉଛନ୍ତି ଆହା ବ୍ୟସ୍ତ ବୁଡ଼ି ଭବପାରାବାରେ ।୧। ଦେଖ ଏହି ସତ୍ତ୍ରାଜିତ, କାଞ୍ଚନ ପ୍ରାପତ ନିତ୍ୟ,ବତ୍ତରେ ମଜାଇ ଚିତ୍ତ, ହିତ ଅହିତ ନ ବିଚାରେ ।୨। ଧନ ଆଶେ କରି ଲୋଭ, ଲୋଭରୁ ପାପ ଉଦ୍ଭବ, ପାପ ପରେ ପରାଭବ ପାନ୍ତି ଜୀବ ଦୈବପୁରେ-।୩। ଧର୍ମେ ଜୟ କାଳେ କାଳେ, ଅଧର୍ମେ ଅନିଷ୍ଟ ଫଳେ, ଏକସ୍ୱ ସଂସାର ଚଳେ, ଯା’ର ବଳେ ନିରନ୍ତରେ ।୪। ସେ ପଦକୁ କରି ନାବ, ଭବବାରାଧି ତରିବ, ଜୀବ ଗଲେ ବଇଷ୍ଣବ ରହିବ କି ସେ ପୟରେ ।୫।

(ଅର୍ଜ୍ଜୁନ ଓ ସତ୍ତ୍ରାଜିତ ପ୍ରବେଶ)

ଅର୍ଜ୍ଜୁନ

ଦୂତ, ଛାଡ଼ି ପଥ ଆଡ଼ ହୋଇଯାଅ ।

ଦୂତ

ପ୍ରଭୁ ଦାଶରଥି ଆଜ୍ଞା କରିଛନ୍ତି,

 

 

ଯାଇ ଦୃଢ଼େ ଜଗିରହ ଦ୍ୱାରେ,

 

 

ଯଦି କେହି ଆସିବ ସାକ୍ଷାତେ

 

 

ଜଣାଇଣ ଆଣିବ ଏଥକୁ;

 

 

ଅବଜ୍ଞା କରିବି କେହ୍ନେ ଶ୍ରୀମୁଖବଚନ ।

ସତ୍ତ୍ରାଜିତ

ଯାଅ ଦୂତ ବିଳମ୍ବ ନ କରି

 

 

ଜଣାଇଣ ଆସ ଅତି ଶୀଘ୍ରେ

 

 

ତୋହ ଫେରିବାଯାଏ ରହିଛୁଁ ଏ ସ୍ଥାନେ ।

(ଦୂତ – ଗୀତ)

[ଜୟ ଜୟ ଯଦୁ ଉପାଡ଼ିନେଲା – ବୃତ୍ତେ]

 

 

ନମୋ ନମୋ ଜଗତ୍ପତି ମୌଡ଼ରଥୀ ଶୁଣାହେଉ ।

 

 

ସକ୍ରାଜିତ ଘେନି ପାର୍ଥ ଫେରିଲେଣି ମହାବାହୁ ।ପଦ।

ସିଂହଦରଜାରେ ରହି; ମୋତେ ଅଛନ୍ତି ପଠାଇ, ଆଜ୍ଞାଦେଲେ ଭାବଗ୍ରାହୀ, ଆସିବେ ଏଥକୁ ସେହୁ ।୧। ହୋଇବ ଛାମୁଙ୍କ ଦେଖା, କହିଛନ୍ତି ମୋତେ ସଖା, ଦକା ତୁଟିବ ଚିତ୍ତରୁ ଶ୍ରୀମୁଖକୁ ଚାହୁଁ ଚାହୁଁ ।୨। କହନ୍ତୁ ଖାଣ୍ଡବଦାହି, ଆସିବେ କି ବିଜୟୀ, ନ ହେଲେ ଏ ମୁହିଁ ଛାଡ଼ିପାରିବାକ କାହୁଁ ।୩। ଯେଣୁ ଆଜ୍ଞା ନାହିଁ ମୋତେ, ତେଣୁ ରହିଛନ୍ତି ପଦେ, ବଇଷ୍ଣବ ଭାଷେ ଗୀତେ, ସେ ପଦେ ମୋ ମତି-ରହୁ-।୪।

କୃଷ୍ଣ

ଦୂତ,କଲୁ କିପାଁ ମନ୍ଦକୃତ୍ୟ ଏଡ଼େ

 

 

ଏକଆତ୍ମା ଧନଞ୍ଜୟ ମୋର

 

 

ତାର ପ୍ରତି ନୁହେ ଏ ଉଚିତ

 

 

କହିଥିଲି ଅନ୍ୟ ଜନ

 

 

ଯଦି କେହି ଲୋଡ଼ନ୍ତି ସାକ୍ଷାତ

 

 

ଜଣାଇଣ ଆଣନ୍ତୁ,

 

 

ଏ କି ତୋର ବିବେକର କାର୍ଯ୍ୟ ?

 

 

ଯା, ବେଗେ ଜଣାଯାଇ ତୃତୀୟ ପାଣ୍ଡବେ

 

 

ଅତିଶୀଘ୍ରେ ଅବିଳମ୍ବେ ଆସନ୍ତୁ ଏଥକୁ ।

ଦୂତ

ଯେ ଆଜ୍ଞା, ଯେ ଆଜ୍ଞା ।

ଅର୍ଜ୍ଜୁନ

କହ,କି କହିଲେ ରାଜୀବଲୋଚନ ?

ଦୂତ

ହେ ବିଜୟୀ ! କରିଅଛି ଶ୍ରୀପୟରେ ଅପରାଧ,

 

 

କ୍ଷମାକର ଭୃତ୍ୟ ଅପରାଧ ।

 

 

କହିଛନ୍ତି ଜଗତବନ୍ଦନ

 

 

ଅବିଳମ୍ବେ କରନ୍ତୁ ଗମନ ।

 

 

(ଦୂତର ପ୍ରସ୍ଥାନ)

ଅର୍ଜ୍ଜୁନ

ପ୍ରଣାମ ।

କୃଷ୍ଣ

ସଖା, ଏତେ କିପାଁ ହୋଇଲା ବିଳମ୍ବ

 

 

ଆସିଲେ ନାହିଁ ବିଦେହନରେଶ । (ସତ୍ତ୍ରାଜିତର ପ୍ରଣାମ)

କୃଷ୍ଣ

ହେ ନରେଶ ! ପବିତ୍ର ହୋଇଲା ମୋର ନେତ୍ର ତବ ଦରଶନେ,

 

 

ବସନ୍ତୁ ଏ ମର୍କତ ଆସ୍ଥାନେ ।

ସତ୍ତ୍ରାଜିତ

ହେ ଖାଣ୍ଡବଦାହନ ! ନୁହେ ଯୋଗ୍ୟ ଅସ୍ଥାନକୁ ମୁହିଁ,

 

 

ଯା’ର ପାଦପଦ୍ମେ ବ୍ରହ୍ମା କୋଟିକଳ୍ପଯାଏ

 

 

ସେବି ସେବି ନ ପାଇଲେ ଅନ୍ତ

 

 

ଯେ ପଦ ମୁଁ ଦେଖିଲି ନୟନେ,

 

 

ସଫଳ ହୋଇଲା ମୋର ମନସ୍କାମ ଆଜି

 

 

ଅଟଇ ମୁଁ ଦାସ କାଳେ କାଳେ ।

 

 

ଦୟାମୟ, କିପାଁ ମୋରେ କରିଛ ଛଳନା ?

[ନମସ୍ତେ ଜଗତ୍ପତ୍ତି – ବୃତ୍ତେ]

ନମଃ କାଳୀୟଗଞ୍ଜନ ଦରିଦ୍ର ଦୁଃଖଭଞ୍ଜନ ରମାକାନ୍ତ ହେ। ଭବଭୟ ବିନାଶନ ନମୋ ଭକତତାରଣ ବିଶ୍ୱତାତ ହେ ।ପଦ। ବାରଣତାରଣ ନାଥ, ଶରଣ ମୁଁ ପଦଗତ, କାରଣ ନ କଲେ ଭୃତ୍ୟ ପରାଣେ ହୋଇବ ହତ ।୧। ଗିରିଟେକା କିପାଁ ଲେଖା; ଦେଇ ବରଗିଲ ସଖା, ଚିନ୍ତାମଣି ଚିତ୍ତେ ଦକା, ଶଙ୍କା ହୁଏ ଅବିରତ ।୨। ଈଶାନ ଯେଉଁ ଚରଣ, ହୃଦୟେ କରି ସ୍ମରଣ, ଶ୍ମଶାନେ କଲେ ଭ୍ରମଣ, ସଙ୍ଗେ ଘେନି ଭୂତପ୍ରେତ ।୩। ବାଲମିକ ବେଦବ୍ୟାସ, ସେ ପୟରେ ରଖି ଆଶ, କରିଅଛନ୍ତି ପ୍ରକାଶ, ରସାମଧ୍ୟେ କେତେ ଗ୍ରନ୍ଥ ।୪। କୋଟିକଳ୍ପେ ବେଦବର, ଅନ୍ତ ନ ପାଇଲେ ଯା’ର, ମୁଁ ପାମର ଦୁରାଚାର, ତହିଁକି ମୁଁ ଯୋଗ୍ୟ ପାତ୍ର ।୫। ଖାଣ୍ଡବଦାହ ମାର୍ତ୍ତଣ୍ଡ, ମୋର ଅପରାଧ ଖଣ୍ଡ, ଭାଷେ ବଇଷ୍ଣବ ଭଣ୍ଡ ନ ଦଣ୍ଡୁ ମୋତେ କୃତାନ୍ତ ।୬।

 

 

 

କୃଷ୍ଣ

ନରେଶ ! ତୃପ୍ତହେଲି ତବ ବାକ୍ୟେ ମୁହିଁ,

 

 

କିନ୍ତୁ ଡକାଇଛି ଯେଉଁ ଉଦ୍ଦେଶ୍ୟରେ,

 

 

ପ୍ରକାଶିବି, କରନ୍ତୁ ଶ୍ରବଣ ।

(ଗୀତ)

ଶୁଣନ୍ତୁ ନରେଶ ରୋଷ ନ ବହି ଚିତ୍ତର । ଯେଉଁ ଆଶେ ତୁମ୍ଭ ପାଶେ ଲେଖିଥିଲି ପତର ।ଘୋଷା। ଘୋଷୁଥିବ ତୁମ୍ଭ ଯଶ, ନଗର ଯେ ତ୍ରିଦଶ,ରସାପତି ଥିବ ଖ୍ୟାତି, ଏ ଧରିତ୍ରୀ ଭିତରେ ।୧। କୀରତି ରହିବ ପୂରି, ନିରତେ ଏ ବସୁନ୍ଧରୀ, ଭବଭୟ ଯିବ ତରି, ଭାବେ ବାର ଚିତ୍ତର ।୨। ଉଗ୍ରସେନ ରାଜନ, ଦାନ ଦେବ କିଛି ଧନ ହୋଇବ ତୁମ୍ଭର ପୁଣ୍ୟ, ମାନ ମୋର ଉତ୍ତର ।୩। କହୁଅଛି ନରମଣି, ଦେବ ସ୍ୟମନ୍ତକମଣି, ବଇଷ୍ଣବ ଭଣି ଆଣି, ହୃଦେ ନୋହି କାତର ।୪।

 

ସତ୍ତ୍ରାଜିତ

ଦୀନବନ୍ଧୁ, ନ ହୋଇବ ତାହା କେତେବେଳେ,

 

 

ପ୍ରାଣରୁ ଅଧିକ ଯେହୁ ସ୍ୟମନ୍ତକମଣି,

 

 

ନ ଦେଖିଲେ ନ ରହେ ପରାଣ ।

 

 

କେମନ୍ତେ ମୂର୍ଚ୍ଛିବି ତାକୁ ଦେଇ ଉଗ୍ରସେନେ,

 

 

ବିଦାୟ ହେଉଛି ଶ୍ରୀଛାମୁରୁ ।

ଅର୍ଜ୍ଜୁନ

ଓଃ କି ନ କଲା ବର୍ବରରେ,

 

 

ବିଦଗଗ୍ଧ ହୃଦୟ କିପାଁ ଏହା ଦେଖୁଅଛୁ ରହି,

 

 

ଫାଟିଯାଏ ହିୟା,

 

 

ଯେ ଆଜ୍ଞାକୁ ବ୍ରହ୍ମା, ଇନ୍ଦ୍ର, ଚନ୍ଦ୍ର, ବରୁଣ, ଦଶଦିଗପାଳେ ନ ପାରନ୍ତି ଲଙ୍ଘି; ଆଜି ସେହି ଆଜ୍ଞା ହୋଇଲା ଅବଜ୍ଞା, ଦାଶରଥି ! ଦୟାକରି ଦାସ ପ୍ରତି ଆଦେଶ କରନ୍ତୁ ବାରେ, ପ୍ରତିଫଳ ବିହିବି ତାହାରେ ।

 

 

ଯେବେ ଏହା ନ ପାରିବି କରି,

 

 

ନ ବିହିବି ଅକ୍ଷୟତୂଣୀର,

 

 

ନ ବିହିବି ହୃଦୟେ କବଚ,

 

 

ନ ବିହିବି ପାଶୁପତ ବାଣ,

 

 

ନ ବିହିବି କରରେ ଗାଣ୍ଡୀବ,

 

 

ଖାଣ୍ଡବଦାହି, ଅବିଳମ୍ବେ ଆଜ୍ଞାହେଉ ଦାସେ ।

କୃଷ୍ଣ

କ୍ଷାନ୍ତ ହୁଅ ସଖା,

 

 

କିପାଁ ଏତେ ହେଉଅଛ ବ୍ୟସ୍ତ,

 

 

ବିଷୟମାଦକେ ପ୍ରାଣୀ ହୋଇଥିଲେ ଅନ୍ଧ,

 

 

ଭଳମନ୍ଦ ନ ରହଇ ତାର,

 

 

ମୁହିଁ ନିଜେ ଅଟେ ତାର ମୂଳ,

 

 

ଏ ଅଖିଳ ଜଗତ ମୋର ମାୟାର ଭିଆଣ,

 

 

ବିଡ଼ିବାକୁ ତାର ମନ କରିଥିଲି ଏହା,

 

 

କିନ୍ତୁ ସାକ୍ଷାତେ ପାଇଲ ତ ତାର ପରିଚୟ,

 

 

ହେ ଗାଣ୍ଡିବୀ, ଗର୍ବ ନିଶ୍ଚେ ଖର୍ବ ହେବ ତାର

 

 

ସେ ନିମନ୍ତେ ନ ହୁଅ କାତର ।

(ଅର୍ଜ୍ଜୁନର ଗୀତ)

[ଭକ୍ତି – ଅସ୍ତ୍ରଠାରୁ ଅସ୍ତ୍ର- ବୃତ୍ତେ]

କହ ଦୟାମୟ ମାୟା କଲ କିପାଁ ଦାସ ପ୍ରତି । ରମାକାନ୍ତ ଭୃତ୍ୟ-ଚିତ୍ତ କି ଅବା ବିଡ଼ୁଅଛନ୍ତି ।ପଦ। ସତ୍ତ୍ରାଜିତ ଯଦୁନାଥ, କଲା କେଡ଼େ ମନ୍ଦକୃତ୍ୟ, ବିତ୍ତଲୋଭେ ହୋଇ ମତ୍ତ, ହତ ହେବ ମୂଢ଼ମତି ।୧। ଗର୍ବ ଯେବେ ଖର୍ବ ତାର, ହେବ କହୁ ଦାମୋଦର,ଖଡ଼୍ଗେ ଛେଦିଥାନ୍ତି ଶିର କାହାପାଇଁ କଲ ନାସ୍ତି ।୨। ଅପମାନ ଦେଲେ ଭକ୍ତେ,ମାନ ନ ବହିଣ ଚିତ୍ତେ, ଦାନ କର ଅବିରତେ, ଧ୍ୟାନେ ଯା ବ୍ରହ୍ମା ନ ପାନ୍ତି ।୩। ଭୃତ୍ୟ ହୋଇ ପଦ୍ମନେତ୍ର, କରି କି ପାରିବ ଅନ୍ତ, ବଇଷ୍ଣବ ଯୋଡ଼େ ହସ୍ତ, ନ ହେଉ କୃତାନ୍ତ ଭୀତି ।୪।

(କୃଷ୍ଣଙ୍କର ଗୀତ)

[କି କଲି କି କଲି - ବୃତ୍ତେ]

ହୁଅ ପଣ୍ଡୁବୀର କିପାଇଁ ଅଧୀର କରାଅ ତୁମ୍ଭେ ଚିତ୍ତକୁ । ଅନିତ୍ୟ ସଂସାର ଅଟେ ଖେଳଘର ନ ଜାଣନ୍ତି ହିତାହିତକୁ ।ପଦ। ବୃଥା ହୋନ୍ତି ଧନ୍ଦି, ମାୟସୂତ୍ରେ ବନ୍ଦି, କରିଣ କାଟନ୍ତି ନିଜ ମଥାକୁ ।୧। କହ ହେ ଗାଣ୍ଡିବୀ, ତୁଟିଗଲେ ଜୀବ, ଛୁଟିବେ କି ଘେନି ସୁତବିତ୍ତକୁ ।୨। ଲୋଭରୁ ଉଦ୍ଭବ, ପାପ ହୋଏ ଲାଭ, ଜୀବ-ଧବ ନେବ ବାନ୍ଧି ହସ୍ତକୁ ।୩। କାନ୍ଦୁଥିବେ ଗଡ଼ି, ଉଚ୍ଚେ ଛାଡ଼ି ରଡ଼ି, ନ ଲୋଡ଼ିବେ ନାରୀ ନିଜ କାନ୍ତକୁ ।୪। ଦେଖ ସତ୍ତ୍ରାଜିତ, ବିଷୟରେ ରତ, ମତ୍ତଗର୍ବେ ନିନ୍ଦେ ଜ୍ଞାତିଗୋତ୍ରକୁ ।୫। ଖର୍ବର କାରଣ, ଗାଣ୍ଡୀବଧାରଣ, ଜାଣ ବଇଷ୍ଣବ ରଚେ ଗୀତକୁ ।୬।

 

 

 

ହେ କିରୀଟି ! ଦୁଷ୍ଟନାଶେ ଅବତାର ମୋର,

 

 

ଜାଣିଥାଅ ଯେବେ ଭକ୍ତ କରେ ମନ୍ଦକୃତ୍ୟ,

 

 

ଅବିଳମ୍ବେ ଚକ୍ରେ ନକ୍ର ପ୍ରାୟ ହୋଏ ହତ ।

 

 

ଯେବେ ସତ୍ତ୍ରାଜିତ

 

 

ଭକ୍ତ ହୋଇ ଅପରାଧ କରିଛି ଗାଣ୍ଡିବୀ

 

 

ପ୍ରତିଦଣ୍ଡ ବିହିବି ତାହାରେ ।

 

 

ତେବେ ଅଧୈର୍ଯ୍ୟ ହେବାର ଅଟେ କାପୁରୁଷକାର୍ଯ୍ୟ;

 

 

ସେ ନିମନ୍ତେ ନ ହୁଅ କାତର ।

 

 

ଆସ, ହୋଇଲାଣି ମଣୋହିର ବେଳ ।

 

 

(ଉଭୟଙ୍କ ପ୍ରସ୍ଥାନ)

(ସ୍ୱପ୍ନାଜିତ ଓ ମନ୍ତ୍ରୀଙ୍କ ପ୍ରବେଶ)

 

 

କହି ମନ୍ତ୍ରୀ ! ଦେଖେ କିପାଁ କୁଲକ୍ଷଣମାନ,

 

 

କ୍ଷଣ କ୍ଷଣ ମସ୍ତକ ଚପଳ,

 

 

ସ୍ତବ୍‌ଧ କିପାଁ ହୋଇଯାଏ ଶ୍ରୁତି,

 

 

ଘନ ଘନ ଖରଶ୍ୱାସ ହୁଏ ପ୍ରବାହିତ,

 

 

ଶୂନ୍ୟ ଲାଗେ ଦଶଦିଗ କିପାଁ ?

 

 

ଘଟିବ କି କା ସଙ୍ଗେ ବିବାଦ ?

 

 

ଅଟେ ଏତ ଅମଙ୍ଗଳଚିହ୍ନ ।

(ଗୀତ)

[ଶୁଣ ଦେବ ତ୍ରିଲୋଚନ - ବୃତ୍ତେ]

ଏ କି ରୀତି ସ୍ତବ୍‌ଧ ଶ୍ରୁତି ଭୀତି ହୋଏ ଚାହିଁ ଚାହୁଁ । କହ ମନ୍ତ୍ରୀ ଚିତ୍ତେ ଚିନ୍ତି ନୃତ୍ୟ କରେ ବାମ ବାହୁ ।ପଦ। ଶ୍ୱାସ ପବନ ପ୍ରଖର, ଉଠୁଅଛି ବାରମ୍ବାର; ଦିଗ ଦିଶେ ଅନ୍ଧକାର, ଗ୍ରାସିବ କି ଦୁଃଖ-ରାହୁ ।୧। କିବା ଶତ୍ରୁ ରାଜ୍ୟେ ମୋର; କରୁଛନ୍ତି ଅତ୍ୟାଚାର; କରିବି ତା ପ୍ରତିକାର, ପଛେ ମୋର ଜୀବ ଯାଉ ।୨। ଯଦୁନାଥ ପାର୍ଥ ହସ୍ତ, ଲେଖି ପେଷିଥିଲେ ପତ୍ର, ଯାଇଥିଲେ ଜ୍ୟେଷ୍ଠଭ୍ରାତ, ଅନର୍ଥ କି ହେଲା ଆଉ ।୩। ବରଗିଣ ବୁଝ ଦୂତ, ତେବେ ଚିତ୍ତ ହେବ ଶାନ୍ତ; ବଇଷ୍ଣବ ଯୋଡ଼େ ହସ୍ତ; (ମୋତେ) ଜନ୍ତୁପତି ଭୟ ନୋହୁ ।୪।

ମନ୍ତ୍ରୀ

କ୍ଷାନ୍ତ ହୋନ୍ତୁ ଭୂପତି,

 

 

ଦ୍ୱାରକାରୁ ଜ୍ୟେଷ୍ଠଭ୍ରାତ ଆସିଲେଣି ଫେରି,

 

 

ଦ୍ୱାରିକାଧିପତି ପଦ୍ମନେତ୍ର

 

 

ମଣି ଆଶେ ତୁମ୍ଭ ପାଶେ ଲେଖିଥିଲେ ପତ୍ର,

 

 

କ୍ରୋଧ ବହିଥିବେ ଚକ୍ରଧର,

 

 

ଜଣାଇଲି ସମସ୍ତ ଛାମୁର ।

ସ୍ୱପ୍ନଜିତ

ଏଡ଼େ ଲୋଭୀ ଅଟଇ କୃଷ୍ଣଟା;

 

 

କପଟତା, ଶଠତା,

 

 

ମିଥ୍ୟା ପୂରି ରହିଅଛି ତାର ଦେହେଁ.

 

 

ଜ୍ୟେଷ୍ଠଭ୍ରାତ ଦେଇଛନ୍ତି ପ୍ରକୃତ ଉତ୍ତର;

 

 

କି କରିବ ସେ ରାଗି ।

 

 

ମନ୍ତ୍ରୀ ! ଯିବି ମୁହିଁ ଶିକାର ଉଦ୍ଦେଶ୍ୟେ;

 

 

ମୋର ତୁଲେ ଯିବେ ନାହିଁ କେହୁ,

 

 

ତେବେ ଆସ ଚଳିବା ନବରେ;

 

 

ସୈନ୍ୟବଳେ ନାହିଁ ପ୍ରୟୋଜନ,

 

 

ମଣିରାଜ ଘେନିଣ ମସ୍ତକେ;

 

 

ନିର୍ଭରେ ପଶିବି ବିପିନେ ।

 

 

ସୈନ୍ୟବଳେ ଏକ ଶତ୍ରୁ ନୁହଇ ଆୟତ୍ତ;

 

 

ଥିଲେ ମଣି କରେ,

 

 

ଶତ୍ରୁ ହେଲେ ହୋଇବେ ପରାସ୍ତ ।

 

 

ତେବେ ଆସ ଚଳିବା ନବରେ;

 

 

ସାରିଣ ଦେବଆଳୟେ ନିତ୍ୟକର୍ମମାନ;

 

 

ମୃଗୟାକୁ କରିବା ଗମନ ।

 

 

(ପ୍ରସ୍ଥାନ)

(ଅଦୃଷ୍ଟକୁମାରୀ ଗୀତ)

[ବଡ଼ କଠିନ ପ୍ରେମର ପାଠ - ବୃତ୍ତେ]

ଜୟ ଜୟ ବିଶ୍ୱତାତ, କେ ବୁଝିବ ତୁମ୍ଭ ଅନ୍ତ ମର୍ତ୍ତ୍ୟମଣ୍ଡଳେ ।ପଦ। ଦେଖ ଏ ସ୍ୱପ୍ନାଜିତ, ନ ଚାହେଁ ହିତାହିତ, ନିନ୍ଦୁଅଛି ଯଦୁନାଥ, ମତ୍ତ ହୋଇ ବିତ୍ତଭୋଳେ ।୧। ଆଖଣ୍ଡଳେ ଯାହାର, ଅଟନ୍ତି ଆଜ୍ଞାକାର, ହୋଇଣ ସାମାନ୍ୟ ନର, ଅବଜ୍ଞା କରଇ ହେଳେ ।୨। ବିଷୟାମଦେ ମୁଗ୍‌ଧ, ହୋଇ ରହିଅଛି ମନ୍ଦ, ଛନ୍ଦ କରିଲେ ଗୋବିନ୍ଦ, ହତ ହେବ ଅବହେଳେ ।୩। କାଳ ଆୟତ୍ତ ହୋଇ,ମୂଳ ଦିଏ ବୁଡ଼ାଇ, ଜାଣୁ ଜାଣୁ କଳା ଅହି, ମୁଖରୁ ଗରଳ ଗିଳେ ।୪। ନିଜେ ନିଜ ବିନାଶ, ଲୋଡ଼ି ହେଉଚି ନାଶ, ପୂର୍ଣ୍ଣହେଉ ମୋ ମାନସ, ବିପ୍ର ବଇଷ୍ଣବ ଭାଳେ ।୫।

(ସ୍ୱପ୍ନଜିତ ମୃଗୟାରେ ଭ୍ରମଣ)

[ପ୍ରେମ ସରସୀରେ – ବୃତ୍ତେ]

ଆସିଲି କି ଯୋଗେ, ପଳାବନ୍ତି ମୃଗେ; ବେଗରେ ଆଗେ ବାତପ୍ରାୟେ । କରିବାକୁ ଲାଖ, ହେଉନାହିଁ ଲକ୍ଷ୍ୟ, ରଖୁ ରଖୁ ହସ୍ତୁ ଯାଏ ।ପଦ। ଅସ୍ତ ହୋଇଲେ ଦିନ, ବ୍ୟସ୍ତ ହେଲା ଗାତ୍ର; ଯେହ୍ନେ ରମ୍ଭାପତ୍ର ବାତଘାତ ଲାଗିବାରୁ ହୋଏ ।୧। ଗଣ୍ଡା ଗୟଳ ଯୂଥ ଯୂଥ, ନ ହୋଇଲେ ହତ, ଏ କି ଆଚମ୍ବିତ, ବୃଥା ହେଲା ଭ୍ରମି ରାତ୍ରଯାଏ ।୨। ବ୍ୟର୍ଥ ହୋଇଲା ଅଙ୍ଗୁ ବଳ, ସାର୍ଥକ କେବଳ, ଭ୍ରମିବାର ଫଳ, ଗଳଗଳ ଶ୍ରମଝାଳ ବହେ ।୩। ଏହା କରିଲେ ଶୂଳଧର, ବାହୁଡ଼ିଲେ ଘର, କି ବୋଲିବେ ନର, ଲଜ୍ଜାରେ ତେଜିବି ଆଜି କାୟେ ।୪। ଜ୍ୟେଷ୍ଠ ଭାଇ ଖୋଜିଲେ ମଣି ବଇଷ୍ଣବ ଭଣି, ନାହାନ୍ତି ଏ ଜାଣି, ଗୁଣିହେଉଥିବେ ନେଲା କିଏ ।୫।

 

 

ଆହା, କେଡ଼େ ବଡ଼ ଦିବସଟା ହୋଇଲା ବିଫଳ,

 

 

ଭ୍ରମି ଭ୍ରମି ଚପଳ ମସ୍ତକ

 

 

ଯେବେ ମୁହିଁ ବାହୁଡ଼ିବି ବାସେ,

 

 

କି କହିବେ ବୀରପୁତ୍ରେ ମୋରେ-

 

 

ରେ ନିରାଶ ହୃଦୟ ! ଅତିଶୀଘ୍ରେ ଯାଅ ପ୍ରାଣ ତେଜି;

 

 

(ଏ ଆଡ଼କୁ ସେ ଆଡ଼କୁ ଚାହିଁ) ଓଃ, ଧାଇଁଅଛି ଅତିକାୟ ଶାର୍ଦ୍ଦୂଳ; ଏ ଆଡ଼ୁ ଆଉ ବାରେ ଚେଷ୍ଟା କରେ, କାଳେ ଳକ୍ଷ୍ୟ ହୋଇଯିବ ଲାଖ । (ଲକ୍ଷ୍ୟ କରନ୍ତେ ଲକ୍ଷ୍ୟ ଭ୍ରଷ୍ଟ ଓ ଶ୍ରୀହସ୍ତରେ ମୃତ୍ୟୁ; ପୁଣି ସିଂହ ଆଶାକରି ଜମ୍ବ୍ରକବୀର ରାଜାକୁ ଗ୍ରାସନ୍ତେ ରାଜା ବଧ କରି ମଣି ଘେନି ପାତାଳକୁ ଗମନ ।)

(ଗୀତ)

[ମୋର ମନ ଜାଣି – ବୃତ୍ତେ]

କି ଦେଖିଲା ନେତ୍ର କିବା ଉଦେହେଲେ ଦୀନନାଥ ଏ ବନେ ।ପ୍ରକାଶଇ ତେଜ କି ସୁଦିନ ଆଜ ଯାହା ଦେଖାନାହିଁ ତ୍ରୟଭୁବନେ ।୧। ମଣି ଆଣି କାହୁଁ ଶାର୍ଦ୍ଦୂଳ; କିବା କାକୁ କରି କବଳ, ରଖିଣ ଉଦରେ କେଉଁ ସୁଖ କରେ; ରହିଣ ବିଜନେ ଗହନ ବନେ ।୨। ମୋହ ପ୍ରତି ବହିଣ ଦୟା; ଦେଲେ ମୋତେ ସାବିତ୍ରୀନାହା, ଯାହା ହେଉ ନେବି ବଇଷ୍ଣବ ଭାବି, ଯିବି ବହୁଦୂର ପାତାଳ ଭୁବନେ ।୩।

(ପ୍ରସ୍ଥାନ)

(ଅଦୃଷ୍ଟକୁମାରୀ ଗୀତ)

[ଖେଳେ ରାଜହଂସ – ବୃତ୍ତେ]

ଜାଣି ଶୁଣି ଭାଇ କାହିଁପାଇଁ ବାଇ ହୁଅ ମଜ୍ଜି ଦେଖ ଆଜି । ଧର୍ମେ ଜୟ କାଳେ କାଳେ ଅଧର୍ମେ ହେଉଛି ଗଞ୍ଜି-।ପଦ। ଭବପାରାବାର; ପାର ହେବ ଯେବେ; ହେଜ ନରେ ଅନିତ୍ୟସଂସାର; ସାର ନାମ ଧର ହୃଦେ ଖୋଜି ।୨। ହରିନାମ କର ମାଳା; ତିଳେ କର ନାହିଁ ହେଳା ସାହା ହେଲେ ଚକାଡୋଳା, ପଳାଇବ କାଳ ତେଜି ।୩। ସ୍ୱପ୍ନାଜିତ ଚିତ୍ତଆଶେ; ହତ ହେଲା ଅବଶେଷେ, ବିପ୍ର ବଇଷ୍ଣବ ଭାଷେ ନ ଦଣ୍ଡୁ ଶମନ ରାଜି ।୪।

(ପ୍ରସ୍ଥାନ)

(ସତ୍ତ୍ରାଜିତ ଓ ମନ୍ତ୍ରୀ ପ୍ରବେଶ, ସତ୍ତ୍ରାଜିତର ଗୀତ)

[ଆରେ କୁମର ମୋହର -ବୃତ୍ତେ]

କୁହ ହେ ପାତ୍ର ମୋ ଭ୍ରାତ ଗଲା କେଣିକି । ସ୍ୟମନ୍ତକମଣି ନେଇଅଛି ପୁଣି ହାଣିହୁଏ ହୃଦ ନ ଦେଖି ।ପଦ। ସୁଖଚନ୍ଦ୍ରେ କବଳ, କିବା କରିଲା କାଳ; ଭାଳି ସେହି କଥା; ଭ୍ରମିଯାଏ ମଥା, ବାର୍ତ୍ତା କିଏ ଦେବ ଆଣିକି ।୧। ହୋଇଲା ଛ’ମାସ ନ ମିଳେ ସନ୍ଦେଶ, ଅବା ପୀତବାସ, ଚିତ୍ତେ ବହି ରୋଷ, ନାଶ କରିନେଲେ ମଣିକି ।୨। ଏଣିକି ସାହା ମୋତେ ହେଇବ କିଏ, ନିଶ୍ଚେ; ଯଦୁନାଥ ସ୍ୱପ୍ନାଜିତ ହତ କରିଛନ୍ତି ବଇ ଭିଣିକି ।୩।

 

 

 

ହେ ପାତ୍ର, ଭ୍ରାତହୀନେ ଆଉ ପ୍ରାଣ ନ ପାରିବି ଧରି,

 

 

କି ବୁଦ୍ଧି କରିବି, ମୋତେ ନ ଦିଶଇ ବୁଦ୍ଧି,

 

 

ଦୟାମୟ କରି ମାୟା ବଧି ମୋର ଭ୍ରାତେ,

 

 

ନେଇ ମଣି ପୂଜଇ, ସତ୍ୟ ତାହା ଜାଣିଅଛି ମୁହିଁ,

 

 

ଭ୍ରାତୃହୀନ ହୋଇ ଦେହ ଧରିବଇଁ କେହ୍ନେ,

 

 

ନିଶ୍ଚେ ପ୍ରାଣ ବିସର୍ଜିବି ସାଗର ସଲିଳେ,

 

 

ରକ୍ଷାନାହିଁ ମୋତେ ।

ମନ୍ତ୍ରୀ

ମହାରାଜ, ଗଲାକଥା ଲୋଡ଼ିଲେ ନ ପାଇ,

 

 

ତେବେ ପଛକଥା ଦିଅ ତୁଚ୍ଛ କରି;

 

 

ଏ ମର୍ତ୍ତ୍ୟମଣ୍ତଳେ ପ୍ରାଣୀ ଲଭିଲେ ଜନମ,

 

 

ନିଶ୍ଚେ ଦିନେ କାଳମୁଖେ ହୁଅଇ ପତିତ,

 

 

ସେ ନିମନ୍ତେ ନ ହୁଅ କାତର ।

(ଗୀତ)

[ଆସ ଗୁଣମଣି ମୋର – ବୃତ୍ତେ]

ନରନାଥ କିପାଁ ବ୍ୟସ୍ତ ଭୀତ ନୋହି ଶେସ୍ତ ଧର । ଭ୍ରାତ ସ୍ୱପ୍ନାଜିତ ହତ ସେ ଅହିତେ ନୁହ କାତର ।ପଦ। ମାତାର କହୁଛି ଏତେ, କାତର ନ ହୋଇ ଚିତ୍ତେ; ପଚାରିଣ ଜ୍ଞାତିଗୋତ୍ରେ ବୁଝନ୍ତୁ ୟାର ସମାଚାର ।୧।ଖୋଜିଲୁ ଦେଶବିଦେଶ, ଘେନି ଛାମୁଙ୍କ ଆଦେଶ; ନ ମିଳିଲା ସନ୍ଦେଶ ଲେଶ ମାତ୍ର କେଉଁଠାରେ ।୨। ହିତକୁ ମଣି ଅହିତ, ଅନର୍ଥେ ହେଲା ପତିତ; ଦ୍ରୋହୀ ହୋଇ ରମାକାନ୍ତେ ଏବେ ହେଲ ଏତେଦୂର ।୩। ଛାର ସ୍ୟମନ୍ତକମଣି, ଆଶେ ଆହେ ନରମଣି; ବେନୁପାଣି ଜାଣିଶୁଣି ଲଙ୍ଘିଲେ ସତ୍ୱର ।୪। ତାର ପ୍ରତିଫଳ ଏହି, ହରାଇ ବସିଲ ଭାଇ; କାହାଁପାଇଁ ବାଇ ପ୍ରାୟେ ହେଉଅଛନ୍ତି କାତର ।୫। ଲାବଣ୍ୟନିଧି ଯା ନାମ, ସେ ଯାହାକୁ ହେବେ ବାମ; କହଇ ବଇ ଅଧମ ରକ୍ଷାନାହିଁ ତିନିପୁର ।୬।

 

ରାଜା

ହେ ପାତ୍ର ଅମାତ୍ୟଗଣେ,

 

 

କି କରିବି ଥର ଥର ଥରୁଅଛି ଗାତ୍ର ।

(ଗୀତ)

[ଧରୁ ଧରୁ ଉଡ଼ିଗଲା – ବୃତ୍ତେ]

ସ୍ୱପ୍ନାଜିତ ଦେଇଗଲୁ ଦକା ରେ । କରି ଏକା ରେ । ତୋର ବାହୁବଳେ ଏ ମର୍ତ୍ତ୍ୟମଣ୍ତଳେ ମୁଁ ପର୍ବତକୁ ମଣେ ଟେକା ରେ ।ପଦ। ଏଣିକି ଭାଇ ବୋଲି କା’କୁ ଡାକିବି ପାଶକୁ, କେ ଆସି କରିବ ଦେଖା ରେ । ଭାବି ତୋର ଭାବ ଉଡ଼ିଯାଏ ଜୀବ, ଛିଡ଼ାଇ ଚାଲିଲୁ ସଖା ରେ ।୧। ରେ ହୀନ ଜୀବନ, ପିଣ୍ତୁ ବିସର୍ଜ୍ଜନ ହୁଅ ଆଉ ମୋତେ ରକ୍ଷା ରେ । ହେ ଚତୁରାନନ, ହେବି ଭ୍ରାତୃଶୂନ୍ୟ ଏହା ଭାଲେ ଥିଲା ଲେଖା ରେ ।୨। ବକାଅରି ବୈରୀ, ହୋଇଲୁ ମୋହରି ତୁ କରି ମହାନାରୀରଙ୍କା ରେ-। ହେ ଲମ୍ପଟରାଟ, କଲୁ ଏତେ କୂଟ ତୁ ହଟ କରି ଗିରିଟେକା ରେ । ଖଣ୍ତପଣ କରି, ତୁଟାଇଲୁ ଶିରୀ କହଇ ବଇଆ ବକା ରେ ।୩।

(ପ୍ରସ୍ଥାନ)

(ରାଣୀର ପ୍ରବେଶ ଓ ଗୀତ)

[ଦେଖ କେଡ଼େ ମନ୍ଦ ମନ୍ଦ – ବୃତ୍ତେ]

ଦେଖ ମିତ ଏ ବସନ୍ତ କି ରଙ୍ଗେ ବହଇ ବାତ । ଗାଏ ଗୀତ ପିକ କୁହୁକୁହୁ ସ୍ୱରେ ଦହେ ଚିତ୍ତ ।ପଦ। କାତରେ ଆତୁରେ ନରେ କାମାତୁରେ ତରତରେ । ମତ୍ତକାମିନୀ ସଙ୍ଗରେ ଯାମିନୀରେ ଅନୁବ୍ରତ ।୧। ପତିବ୍ରତା ଦୂରକରି, ସତୀ ଧୃତି-ମତି ହରି; ଯତି ପତି ହେବେ ଘାରି ଗତି ଦେଖି ଅନୁବ୍ରତ ।୨। ଜାଇ ଯୁଇ ଜାତୀଯୂତି, ମଲ୍ଲି ମାଳତୀ ସେବତୀ; ପ୍ରକାଶି ବିକାଶି ଜ୍ୟୋତି ପନ୍ତି ପନ୍ତି ବିଦିତ ।୩। ଥରଥର ଥରେ ଗାତ୍ର, ଆସନ୍ତେ କି ନରନାଥ, ତୋଷନ୍ତେ ମୋ ମନୋରଥ ତ୍ରାସନ୍ତା କି ମାର ସେ ତ-।୪। ମତି ବଳାଇ ସୁରସେ, ମାତନ୍ତି ରସ ଅଳସେ, ବିପ୍ର ବଇଷ୍ଣବ ଭାଷେ ଇଷ୍ଟ ମୋର ଉମାକାନ୍ତ ।୫।

(ରାଜାର ପ୍ରବେଶ; ରାଣୀ ଉକ୍ତି)

[କାଲି ରଜନୀରେ ସ୍ତବ୍‍ଧ – ବୃତ୍ତେ]

ଧରାପତି ଏ କି ରୀତି ଚିନ୍ତିତ କାହିଁକି କୁହ, ଚିନ୍ତିତ କାହିଁକି ତିନ୍ତଇ ପିନ୍ଧିଲା ବାସ ଲୋତକ ବହି କି ।ପଦ। କେଉଁ କଥା ଭାଳି ଭାଳି ମଳିପଡ଼ିଅଛି ଜ୍ୟୋତି ଚନ୍ଦ୍ରମା ମଉଳି ।୧। ଘଡ଼ି ଘଡ଼ି ଖରଶ୍ୱାସ ଛାଡ଼ ଘନ ଘନ, ବୁଡ଼ଇ ସର୍ବାଙ୍ଗ ଝରଝର ଗଡ଼ି ବନ । ବେଳୁ ବେଳ ଦୁଃଖ ବଢ଼ି ମାଡ଼ିପଡ଼ୁଅଛି ସୁଖସାଗର ଲହଡ଼ି ।୨। ଉଡ଼ିଯାଏ ହଂସା ଦଶା ଦେଖି ପ୍ରାଣେଶ୍ୱର, ଭସାଅ ନେତ୍ରଯୁଗଳ ଘୋଷା ପରକାର । ରସା ମଧ୍ୟେ କେଉଁ ଜନ, ଆଶାବୃକ୍ଷ ଉତ୍ପାଟନ କରେ ଜୀବଧନ ।୩। ମଶାପ୍ରାୟେ ଭ୍ରମେ ମନ ଛନ୍ନ ଛନ୍ନ ହୋଇ, ରୋଷ ବହିଅଛ କାହାପରେ ନରସାଇଁ । ବାଇପରି ଅବିରତ, କାହିଁପାଇଁ କୁହ ନାଥ ହେଉଛ ଆରତ ।୪। ଦେଉଛି ଶପଥ ବ୍ୟସ୍ତ ନୋହି ଶେସ୍ତ ଧର, ଅଧୀର ନୁହ ସୁଧୀର ହୁଅ ନରବର । କର ଦୂର ମନଖେଦ, ଦୀନହୀନ ବଇ କହି ଧ୍ୟାୟି ପଦ୍ମପାଦ ।୫।

(ରାଜାଙ୍କ ଉକ୍ତି)

[ଏ ବୟସ ତେଜି – ବୃତ୍ତେ]

ରସବତି ! ଏ ବିପତ୍ତି ରସାରେ ନ ଥିବ । ହଂସା ଉଡ଼ିଯାଏ ଯୋଷା ଭାବି ସେହି ଭାବ ।ପଦ। ବୁଡ଼ିଲା ଆଶା ଭରସା, ବଢ଼ିଲା ବିପଦ ନିଶା, ହୁଡ଼ିଲା ଭାଷା ସହସା ଲୋଡ଼ିଲେ କି ମିଳିବ ।୧। ପୂରିତ ସରିତେ ତରି, ହରାଇଲି ହେମଗୋରି ! କେ ମୋତେ କରିବ ପାରି, କେ ଅବା ତାରିବ ।୨। ଘୂରି ଯାଉଅଛି ଶିର, ଦିଗ ଦିଶେ ଅନ୍ଧକାର, ବରବରନା ମୋହର ନ ରହିବ ଜୀବ ।୩। ହରିମଧ୍ୟା କରୀଗତି, ହରି ଦେଲେ ଏ ବିପତ୍ତି ସ୍ଥିର ନୋହେ ମତି ଭୀତି ହୁଅଇ ଉଦ୍ଭବ ।୪। ଗିରିଧାରୀ ରମାକାନ୍ତ ମାରି ଭ୍ରାତ ସ୍ୱପ୍ନାଜିତ, କରିଲେ ମୋତେ ଅନାସ୍ତ କହେ ବଇଷ୍ଣବ ।୫।

(ରାଣୀର ଶୋକ)

[ଆହା କି କଲ ରଘୁନନ୍ଦନ – ବୃତ୍ତେ]

ଆହା କି କଲ କି କଲ ରମା-ରମଣ ହେ । ବାରଣତାରଣ କିସ ନ ଜାଣ ହେ ।ପଦ। କିଣା ଜନରେ କରୁଣା, କାହିଁପାଇଁ କଲ ଊଣା, ଜଣା କି ନ ଗଲା ଗିରିଧାରଣ ହେ ।୧। ଶରଣପଞ୍ଜର ହୋଇ, ଦାରୁଣପଣକୁ ବହି, ହରଣ କଲ ଦାସର ପରାଣ ହେ ।୨। ଶଣପୁଷ୍ପଜିଣା କ୍ଳାନ୍ତି, କେଣେ ନେଲା ହୋ ଶ୍ରୀପତି, ଏଣୀନେତ୍ରୀକି ଅନାସ୍ଥା କରିଣ ହେ ।୩। ଶିରୀଷାଙ୍ଗୀ ରାଜବାଳା, ସହିବ ବିରହଜ୍ୱାଳା ପଡ଼ିବନି କଳାକର କଙ୍କଣ ହେ ।୪। କନକବରନ କାଳି, ହୋଇଯିବ ଭାଳି ଭାଳି, କାଳକ ସହିବ କାମ-କକ୍ଷଣ ହେ ।୫। ଧରୁଛି ଚରଣ ନାଥ, କ୍ଷାନ୍ତ ହୁଅ ନୁହ ବ୍ୟସ୍ତ, ନିଜେ ତାହା କରିଛ ତ ଆପଣ ହେ ! କାହାକୁ କହିବି ଯାଇ, କେ ଏଥୁ କରିବ ତ୍ରାହି, ବଇଷ୍ଣବ କହି ଧ୍ୟାୟି ଈଶାଣ ହେ ।୬।

 

ରାଜା

ପ୍ରିୟେ କୁହ ଏହା ଇନ୍ଦୁରେଖା ପାଶେ,

 

 

ଆଝୁଁ ତାର ଆଶାବୃକ୍ଷ ହେଲା ଉତ୍ପାଟନ ।

 

 

(ପ୍ରସ୍ଥାନ)

 

 

(ଇନ୍ଦୁରେଖାର ପ୍ରବେଶ, ରାଣୀ ପ୍ରତି ଉକ୍ତି)

[କାହିଁ ପାଇଁ ଭଉଣୀ ମୋତେ – ବୃତ୍ତେ]

କେଉଁପରି ବୀଣାବଚନି, କିଣାଜନ ମନେ ପଡ଼ିଲା ଆଜି । ଦେବର ତୁମ୍ଭର କରି ଗଲେ ପର ସେ ନିମନ୍ତେ ଅବା ଆସିଛ ଖୋଜି ।ପଦ। ଶଣପୁଷ୍ପଦେହା, କେଣେ ଗଲେ ନାହା, ହାଣି ହୋଏ ହିଆ ନିରତେ ଭଜି । ଜାଣିଲ କେ ତାହା, ଏଣୀନେତ୍ରୀ ରାହା ନାହିଁ ଯାହା ହୋଏ ହୃଦୟ ରାଜି ।୧। ଭାଷ ରାଜାରାଣୀ, ଆସି ଗୁଣମଣି, ତୋଷିବେ କି ରସ ସୁରସେ ମଜ୍ଜି । ହଜିଯାଏ ଜ୍ଞାନ, ହେଲି ତନୁଖିନ୍ନ, ହାରିବି ଜୀବନ ବଇ ଅରଜି ।୨।

(ଇନ୍ଦୁରେଖା ପ୍ରତି ରାଣୀର ଉକ୍ତି)

[ଦାରୁଣ ମନ୍ଦ ଦଇବ – ବୃତ୍ତେ]

କନକବରନା ତୋ କରମେ ଥିଲା ଏହା । କଞ୍ଜବଦନ ମଦନମୋହନ ହେଲେ ନିର୍ଦିୟା ।ପଦ। କଳବଚନା କାଳକ ସହିବ ବିରହ-ଦୁଃଖ । ସରିଗଲାଣି ସବୁ ସୁଖ ଆରେ ସରଳହୃଦୟା ।୧। ଯାହା କଲେ ମାୟାଧର; ସାହା ହେବ କେଉଁ ନର; ରାହା ନାହିଁ ତିନିପୁର କା ଆଗେ କହିବ ତାହା ।୨। କୂଟକରି ପୀତପଟ; ମିତ କାଟିଲେ ତୋ କଣ୍ଠ; କୁଜ୍‌ଝଟ ହାସିନି ବିଟରାଟ ନ ବହିଣ ଦୟା ।୩। ଖଣ୍ଟପଣକୁ ଆଚରି; ଘଟସ୍ତନା ଦଇତାରି, ତୁଟାଇ ଅଛନ୍ତି ଶିରୀ; ମାରି ତୁମ୍ଭ ପ୍ରାଣନାହା ।୪। ହରି କରିଲେ ଅନାସ୍ଥ; ଝୁରି ଝୁରି ହେବ ହତ, ବଇ କହି ରମାକାନ୍ତ, ଏଡ଼େ ନିଷ୍ଠୁର ତୋ ହିୟା ।୫।

ଇନ୍ଦୁରେଖା

ରେ ମନ୍ଦ ବିଧାତା, ଏତେ କଥା ଥିଲା ମନେ ତୋର ?

 

 

ଆହା ନାଥ, କେଣେ ଗଲ ଅଧିନୀକି ତେଜି ।

(ରାଣୀ ପ୍ରବୋଧନା କରିବା)

[ଘନବର – ବୃତ୍ତେ]

କାନ୍ଦନା ଇନ୍ଦୁବଦନା, ନିନ୍ଦନା ଧରମେ ଆଉ । କରମ ଲେଖନ ଆନ କରି ପାରିବ ବା କେହୁ ।ପଦ। ଘନବରନ କାଳି କର ନାହିଁ ଗୋ ଭାଳି, ମଳି ଦିଶେ ମଉଳି ଲାଜକୁଳି ଝାଉଁଳିଗଲା ପରି କିପାଁ ଘାରି କରୀନ୍ଦ୍ରଗମନା ହେଉ ।୧। ମନ୍ଦମନ୍ଦହାସିନୀ, କନ୍ଦକ୍ଷୀରଭାଷିନୀ, ଘେନ କୁନ୍ଦଦଶନୀ, ଦୀନଜନ ଦଇନି ମାନନୟନି ଭାବିତ ହୋଇ ଅବନୀରେ ଶୋଉ ।୨। ଧନୀ ମନକୁ ସ୍ଥିର, କର ମୋ ଗିର, ଦୁଃଖ ହୋଇବ ପାର; ଛାର ମାର ସାଗର, ବଇଷ୍ଣବ କଷ୍ଟ ନଷ୍ଟ ହେବ ଟାଉଟାଉ ।୩।

 

 

ସଖି ! ତୁମ୍ଭେ ଆଉ ଏତେ ବ୍ୟସ୍ତ ହୁଅନା,

 

 

କ୍ରାଧ ଶାନ୍ତକର; ଅନ୍ୟଥା ନୋହିବ କେଭେ କର୍ମର ଲେଖନ;

 

 

ତେବେ ଆସ ସଦନକୁ ଯିବା ।

ଇନ୍ଦୁ

ସଖି ! କାନ୍ତହୀନା ହୋଇ କେହ୍ନେ ଧରିବି ଜୀବନ ?

ରାଣୀ

ଆନ କେ କରି ପାରିବ କର୍ମର ଲେଖନ ।

ଇନ୍ଦୁ

ଏହା ଭାଲେ ଲିହିଥିଲ କମଣ୍ତଳୁହସ୍ତ !

ରାଣୀ

କାହିଁପାଇଁ ଆହା ଏତେ ହେଉଅଛ ବ୍ୟସ୍ତ ।

ଇନ୍ଦୁ

ନିଶ୍ଚୟେ ହାରିବି ଜୀବ ବିଷ କରି ପାନ ।

ରାଣୀ

ସ୍ନାହାନ କରିବ ଆସ ବହିଯାଏ ଦିନ ।

Image